ଅନୁଗୁଳ – ନିଜର ହକ ପାଇଁ , ସରକାରୀ ନିୟମର ପାଳନ ଦାବି କରି ୩୫ ଦିନ ହେଲା ଜେଲରେ ଗ୍ରାମର ଶିକ୍ଷିତ ଯୁବକ । ହକ ପାଇଁ ଆନ୍ଦୋଳନ କରିବାରୁ ମିଛ ମାମଲା ଲଗାଇ ଜେଲରେ ପୁଲିସ ଭର୍ତ୍ତି କରିଛି ବୋଲି ଅଭିଯୋଗ ହୋଇଛି । ଆଜି ସେହି ଆନ୍ଦୋଳନକାରୀ ମାନଙ୍କୁ ଜେଲରେ ଯାଇ ଭେଟିଛନ୍ତି ବିଜେଡିର ପୂର୍ବତନ ସାଂସଦ ମହେଶ ସାହୁ । ଆଉ ଜେଲରେ ସେମାନଙ୍କୁ ଭେଟିବା ପରେ ସେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏ ନେଇ ଦଳ ସହିତ ଆଲୋଚନା କରି ଆଗାମୀ ପଦକ୍ଷେପ ନେବେ ଵୋଲି କହିଛନ୍ତି ।

ସୂଚନା ଅନୁସାରେ ନୈନି କୋଇଲା ଖଣିରୁ ଗାଁ ମଧ୍ୟ ଦେଇ କୋଇଲା ଚଳାଚଳକୁ ବିରୋଧ କରିଥିଲେ କୋଶଳାବାସୀ । କୋଲ କରିଡର କିମ୍ବା ବାଇପାସ ନିର୍ମାଣ ପାଇଁ ସରକାରୀ ନିୟମ ରହିଥିବା ସତ୍ୱେ କମ୍ପାନୀ ଓ ପ୍ରଶାସନ ଏଭଳି ଗାଁ ଦେଇ କୋଇଲା ଗାଡି ପରିବହନକୁ ଗାଁ ଲୋକ ବିରୋଧ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଥିଲେ । ଆନ୍ଦୋଳନ ବେଳେ ସମସ୍ତ ଗାଡିକୁ ଗାଁ ଦେଇ ଛାଡିଥିଵା ବେଳେ କେବଳ କୋଇଲା ଗାଡିକୁ ଗ୍ରାମବାସୀ ମାନେ ଫେରାଇ ଦେଇ ରାତି ସାରା ଆନ୍ଦୋଳନ କରୁଥିଲେ । ତେବେ ପ୍ରାୟ ଏକ ମାସ ପରେ ପ୍ରଶାସନ ଏହାର ସମାଧାନ ବାଟ ନ ବାହାର କରି ଆନ୍ଦୋଳନ କରୁଥିବା ଗାଁର ସମ୍ପାଦକ ସମେତ ୫ ଜଣଙ୍କୁ ବିଭିନ୍ନ ମିଛ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ । ଏବଂ ପରେ ଗ୍ରାମବାସୀଙ୍କୁ ଧମକ ଚମକ ଦେଇ ଆନ୍ଦୋଳନକୁ ଭଣ୍ଡୁର କରି ଦେଇଥିଲା । ତେବେ ଗିରଫ ୫ ଗ୍ରାମବାସୀ ଆଜକୁ ପ୍ରାୟ ୩୫ ଦିନ ହେବ ଜେଲରେ ଅଛନ୍ତି । ପୁଲିସ ପ୍ରଶାସନ ଗୋଟିଏ ପରେ ଗୋଟିଏ ମାମଲା ଯୋଡିବା ଯୋଗୁଁ ସେମାନଙ୍କ ଜାମିନ ହୋଇ ପାରୁନାହିଁ । ଏ କଥାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ପୂର୍ବତନ ସାଂସଦ ମହେଶ ସାହୁ । ଆଜି ସେ ଅନୁଗୁଳ ଜେଲ ଯାଇ ଉକ୍ତ ୫ ଗ୍ରାମବାସୀଙ୍କୁ ଭେଟିଛନ୍ତି । ଆଉ ପୁଲିସର ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି । ଏଭଳି ନିରୀହ ଲୋକଙ୍କୁ ବିନା କାରଣରେ ମାସ ମାସ ଧରି ଜେଲରେ ଭର୍ତ୍ତି କରିବା ପୁଲିସ ପ୍ରଶାସନର ଏକ ଦୁର୍ବଳତା ଏବଂ ବିଫଳତା ବୋଲି ସେ କହିଛନ୍ତି ।
ବାଇଟ – ମହେଶ ସାହୁ । ପୂର୍ବତନ ସାଂସଦ ।

