ଅନୁଗୋଳ – ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର DFO କାର୍ଯ୍ୟାଳୟର ବରିଷ୍ଠ ସହାୟକ ଅଜୟ କୁମାର ନାଏକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଜୟ କୁମାର ନାଏକ ସତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର DFO କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ କାର୍ଯ୍ୟରତ ଥିଲେ। ସେଠାରେ କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବାବଦ ପ୍ରାପ୍ୟ ଓ ବକେୟା ଅର୍ଥ ପ୍ରକ୍ରିୟାକରଣ ଦାୟିତ୍ୱ ତାଙ୍କ ଅଧୀନରେ ଥିଲା।
ଅଭିଯୋଗ ଅନୁଯାୟୀ, ୨୦୧୯ ଜାନୁଆରୀ ୧ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ସେ HRMS ପୋର୍ଟାଲରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଅବ୍ୟବହୃତ ଛୁଟି ବାବଦ ପ୍ରାପ୍ୟ ଏବଂ ବକେୟା ଦରମା ପାଇଁ ଜାଲ୍ ଦାବି ପ୍ରସ୍ତୁତ କରିଥିଲେ। ଏହା ମାଧ୍ୟମରେ ସରକାରୀ ଅର୍ଥକୁ ପ୍ରକୃତ ହିତାଧିକାରୀଙ୍କ ନିକଟକୁ ନପଠାଇ ନିଜ ବ୍ୟାଙ୍କ ଖାତା ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ NEFT ଜରିଆରେ ସ୍ଥାନାନ୍ତର କରିଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।
ଏହି ଅର୍ଥ ହଡ଼ପ ଘଟଣା ସାମ୍ନାକୁ ଆସିବା ପରେ ଅଜୟ କୁମାର ନାଏକ ଅକ୍ଟୋବର ୨୦୨୬ରୁ ଫେରାର ଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ ଗତିବିଧି ଉପରେ ନଜର ରଖି ଶୁକ୍ରବାର ରାତିରେ ଅନୁଗୋଳ ସହରରେ ଏକ କାର୍ରେ ଘରକୁ ଯାଉଥିବା ସମୟରେ ତାଙ୍କୁ ଧରିଥିଲା।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୪/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଓ BNSର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଜୟ କୁମାର ନାଏକଙ୍କୁ ଆଜି ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

