ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରି କୋର୍ ଏରିଆରେ ରାତ୍ରି ଭ୍ରମଣ – କାର୍ଯ୍ୟାନୁଷ୍ଠାନ ନେବେ କେବେ ?

ଅନୁଗୁଳ – ଦେଶରେ ବ୍ୟାଘ୍ର ସଂରକ୍ଷଣର ଉତ୍ତମ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି, ଗତ ୨୦୨୫ ମସିହା ମେ ମାସରେ ବ୍ଯାଘ୍ର ସଂରକ୍ଷିତ ଅଂଚଳରେ ରାତ୍ରି ପର୍ଯ୍ୟଟନ ଉପରେ ସମ୍ପୂର୍ଣ୍ଣ ନିଷେଧ ପ୍ରସ୍ତାବ ଦେଇଛନ୍ତି ଏବଂ ବ୍ଯାଘ୍ର ସଂରକ୍ଷିତ ଅଂଚଳର ଉଭୟ କୋର୍ ଏବଂ ବଫର ଜୋନ୍‌କୁ ନୀରବ ଅଞ୍ଚଳ ଘୋଷଣା କରିବାକୁ ସୁପାରିଶ କରିଛନ୍ତି । ଏହା ସତ୍ତ୍ବେ ମଧ୍ଯ ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର କୋର୍ ଏରିଆର ରାତ୍ରି ଭ୍ରମଣ ଏବଂ କଲରାପତରିଆ ବାଘର ଭିଡିଓ ସର୍ବସାଧାରଣ WhatsApp ଗ୍ରୁପରେ ଭାଇରାଲ୍ ହେବା Satkosia Tiger Reserve ର ପରିଚାଳନା ଓ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବିଗତ ଦିନଗୁଡିକରେ ସାତକୋଶିଆ ବ୍ଯାଘ୍ର ସଂରକ୍ଷିତ ଅଂଚଳରେ ଶିକାରୀଙ୍କ ଦ୍ବାରା ବନ୍ଯପ୍ରାଣୀ ଅପରାଧ ଘଟିଥିବାର ଅନେକ ଉଦାହରଣ ରହିଛି । ଏପରି ସ୍ଥଳେ ସାତକୋଶିଆ ଅଭୟାରଣ୍ଯର ବର୍ତ୍ତମାନର ସବୁଠାରୁ ଶ୍ରେଷ୍ଠ ଖାଦକ କଲରାପତରିଆ ବାଘର ଭିଡିଓ କୋର ଏରିଆରୁ ଉତ୍ତୋଳନ କରାଯାଇ ସର୍ବସାଧାରଣ WhatsApp ଗ୍ରୁପରେ ଭାଇରାଲ୍ ହେବା ଶିକାରୀଙ୍କୁ ସୁହାଇବ ବୋଲି ବନ୍ଯପ୍ରାଣୀ ପ୍ରେମୀମାନେ ସନ୍ଦେହ ପ୍ରକଟ କରିଛନ୍ତି ।

ସାତକୋଶିଆ ବ୍ଯାଘ୍ର ସଂରକ୍ଷିତ ଅଂଚଳର ସମସ୍ତ କୋର୍ ଏରିଆକୁ ଯିବାର ପ୍ରବେଶ ପୂର୍ବରୁ ବନ ବିଭାଗର ଚେକ୍ ଗେଟ୍ ରହିଥାଏ । ଅହରହ ସେଠି ବନ କର୍ମଚାରୀ ମାନେ କାର୍ଯ୍ଯରତ ଥାନ୍ତି । ଏହା ସତ୍ତ୍ବେ ମଧ୍ଯ ବାହାର ଲୋକ ରାତିରେ କୋର ଏରିଆରେ ପଶି ବନ୍ଯପ୍ରାଣୀଙ୍କ ଭିଡିଓ ଉତ୍ତୋଳନ କରିବା ଘଟଣା ବନ ଅଧିକାରୀ ଏବଂ ବନ କର୍ମଚାରୀଙ୍କ ଖାମଖିଆଲୀ ନୀତିକୁ ପଦାରେ ପକାଇଛି ।

ଗୋଟିଏ ପଟେ ଶିମିଳିପାଳ ବ୍ଯାଘ୍ର ସଂରକ୍ଷଣ ଅଂଚଳ ରାଜ୍ଯ ପାଇଁ ସୁନାମ ଆଣୁଥିବା ବେଳେ ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳରେ ଏପରି ଅବ୍ଯବସ୍ଥା ପାଇଁ ବନ୍ଯପ୍ରାଣୀ ପ୍ରେମୀ ମାନେ ଚିନ୍ତା ପ୍ରକଟ କରିବା ସହ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page