ତାଳଚେର – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରା ଯାଇଥିଲା । ତାଳଚେର ସାଉଥବଲଣ୍ଡା ଠାରେ ମଧ୍ୟ ଏହି ରାବଣ ପୋଡି ଅନୁଷ୍ଠିତ ହୋଇଥିଲା । ତେବେ ବର୍ଷା ପାଇଁ ସଠିକ ଭାବରେ ବାଣ ଫୁଟି ନଥିବା ବେଳେ ଆଜି ସକାଳେ ଏକ ଅଫୁଟା ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ,ସାଉଥବଲଣ୍ଡା ଠାରେ ମହା ଜାକଜମକରେ ରାବଣ ପୋଡି ଉତ୍ସବ ଆୟୋଜିତ କରାଯାଇଥିଲା । ତେବେ ରାବଣ ପୋଡି ଉତ୍ସବ ଆରମ୍ଭ ପୂର୍ବରୁ ଏଠାରେ ବର୍ଷା ହୋଇଥିଲା । ଯାହା ଫଳରେ ରାବଣ ପୋଡି ବେଳେ ଖଞ୍ଜା ଯାଇଥିବା ବାଣ ସଠିକ ଭାବେ ଫୁଟି ନଥିଲା । କୌଣସି ପ୍ରକାରେ ଚେଷ୍ଟା କରି ରାବଣ ପୋଡି କରାଯିବା ପରେ ଆୟୋଜକ ଏବଂ ଦର୍ଶକ ଚାଲି ଯାଇଥିଲେ । ତେବେ ଅନେକ ବାଣ ନ ଫୁଟି ରହି ଯାଇଥିବା ଜଣା ପଡ଼ିଛି । ଆଜି ସକାଳେ ସେହି ପଡିଆରେ କିଛି ପିଲା ଖେଳାଖେଳି କରିଥିଲେ । ପଡିଥିବା ବାଣ ଖୋଳ ଉପରେ ଖେଳାଖେଳି କରୁଥିବା ବେଳେ ୧୦ ବର୍ଷ ବୟସର ଲକ୍ଷ୍ମଣ ସୋରେନ ନାମକ ଜଣେ ବାଳକ ଖେଳୁଥିବା ବେଳେ ଫୁଟି ତାଙ୍କ ବେକରେ ବାଜିଥିଲା । ଯାହା ଫଳରେ ଲକ୍ଷ୍ମଣଙ୍କ ବେକରେ ବାଣ ବାଜିବା ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଆୟୋଜକ ମାନେ ରାବଣ ପୋଡି ଉତ୍ସବ ସରିବା ପରେ ସଠିକ ଭାବେ ଜାଞ୍ଚ ନ କରିବା ଯୋଗୁଁ ଏବଂ ଅଫୁଟା ବାଣ ଗୁଡିକୁ ଖୋଜି ନଷ୍ଟ ନ କରିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

