ଛେଣ୍ଡିପଦା – ଦୁଇ ଦିନ ସରକାରୀ ଛୁଟି ପରେ ସୋମବାର ଖୋଲିଲା କାର୍ଯ୍ୟାଳୟ । ହେଲେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟରେ ସୋମବାର ମଧ୍ୟ ଅଘୋଷିତ ଛୁଟି ହୋଇଗଲା । ଦ୍ଵିତୀୟ ଶନିବାର ଓ ରବିବାର ପରେ ଆଜି(ସୋମବାର) ସବୁ ବିଭାଗରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ସେମିତି କୌଣସି ଜରୁରୀକାଳୀନ ବ୍ୟବସ୍ଥା ପାଇଁ ଛୁଟି ହୋଇ ନଥିଲା । ବାବୁମାନେ କୁଆଡେ ଭୋଜି ଖାଇବାକୁ ଯାଇଥିଲେ ବୋଲି ଆଜି ପ୍ରାୟ ସବୁ ବିଭାଗରେ ତାଲା ଝୁଲିଥିଲା । ଫଳରେ ବ୍ଲକ କାର୍ଯ୍ୟାଳୟକୁ ଆସି ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇ ଫେରି ଯାଇଥିଲେ ।

ସୋମବାର ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥାଏ । ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଏହାକୁ ଯେମିତି ହାଲୁକା ଭାବରେ ନିଆ ଯାଇଛି । ଦୁଇ ଦିନ ହେଲା ସରକାରୀ ଛୁଟି ପରେ ଆଜି କାର୍ଯ୍ୟାଳୟ ଖୋଲିବା କଥା । ୧୪ ତାରିଖ ଦ୍ଵିତୀୟ ଶନିବାର ପାଇଁ ଛୁଟି ଥିଲା । ୧୫ ତାରିଖ ରବିବାର । ୧୬ ତାରିଖ କାର୍ଯ୍ୟାଳୟ ଖୋଲିବା କଥା । କିନ୍ତୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟରେ ହୋଇଥିଲା ଅଘୋଷିତ ଛୁଟି । ସବୁ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ନିଜ ନିଜ ବିଭାଗରେ ତାଲା ପକାଇ ଭୋଜି ଖାଇବାକୁ ଯାଇଥିଲେ । ସୂଚନା ଅନୁସାରେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କ ମା’ଙ୍କର କିଛିଦିନ ତଳେ ଦେହାନ୍ତ ହୋଇଥିଲା । ଆଜି ତାଙ୍କର ଏକାଦଶାହ ଭୋଜି ନରସିଂହପୁର ଅଞ୍ଚଳରେ ଥିଲା । ସେହି ଭୋଜି ଖାଇବାକୁ ସବୁ ଯାଇଥିଲେ । ଏପଟେ ବ୍ଲକ କାର୍ଯ୍ୟାଳରେ ରହିଥିଲେ କେବଳ ଜଣେ ପିଅନ ଏବଂ ଅସ୍ଥାୟୀ ରାତ୍ର ଜଗୁଆଳି । ଯେଉଁଥିପାଇଁ ଆଜି ବ୍ଲକକୁ କାମରେ ଆସିଥିବା ସମସ୍ତ ସାଧାରଣ ଲୋକ ନିରୁପାୟ ହୋଇ ଫେରି ଯାଇଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି , ଏଭଳି ଅଘୋଷିତ ଛୁଟି କରି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଭୋଜି ଖାଇବାକୁ ଯିବାକୁ ଅନୁମତି ଦେଲା କିଏ ? ଆଉ ଯଦି ଛୁଟି ନ ନେଇ ଏଭଳି କାର୍ଯ୍ୟାଳୟକୁ ଆସି ନାହାଁନ୍ତି କିମ୍ବା ହାଜିରା ପକାଇ ଦେଇ ସରକାରୀ କାର୍ଯ୍ୟ ଛାଡି ଭୋଜି ଖାଇବାକୁ ଦିନ ସାରା ଯାଇଛନ୍ତି , ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତ ?


