ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡ଼ା ନଦୀ ଘାଟରେ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ । ଛଅ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ହାତ ଓ ଗୋଡ଼କୁ ହାଣିଥିବା ଅଭିଯୋଗ ହୋଇଛି । ତାଙ୍କ ଦୁଇ ଗୋଡ ଓ ହାତରେ ଗଭିର ଆଘାତ ଲାଗିଥିବା ଜଣାପଡିଛି । କାର୍ଯ୍ୟରତ ସାମ୍ବାଦିକ ଜଣକ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାର୍ଯ୍ୟରତ ସାମ୍ବାଦିକ ଜଣକ ହେଲେ ପରଜଙ୍ଗ ବ୍ଲକର ସମାଜ ଖବର କାଗଜର ପ୍ରତିନିଧି ସାନ୍ତନୁ କୁମାର ଭୁକ୍ତା । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକର କୁଆଳୁ ପଞ୍ଚାୟତର ସରପଞ୍ଚ ଗୁଣ୍ଡା ଲଗାଇ ଏଭଳି କାଣ୍ଡ ଭିଆଇଥିବା ଭୁକ୍ତା ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା କଥା , କୁଆଳୁ ସରପଞ୍ଚ ସରକାରୀ ଜମିରେ ଢ଼ାବା ସହିତ ଘର କରିଥିଲେ । ଯାହାକୁ ନେଇ ଭୁକ୍ତା ଏନ୍‌ଜିଟିରେ ଦ୍ବାରସ୍ଥ ହୋଇଥିଲେ । ପରେ କୋର୍ଟ ପକ୍ଷରୁ ଉକ୍ତ ଘରକୁ ଭାଙ୍ଗିବାକୁ ନିର୍ଦେଶ ଆସିବା ସହିତ ତାଙ୍କୁ ମଧ୍ୟ ଚିଠି ହୋଇଥିଲା। ଏହାକୁ ନେଇ ଗତ ୪ ଦିନ ପୂର୍ବରୁ ଶ୍ରୀ ଭୁକ୍ତାଙ୍କ ଫୋନକୁ ଏକ କଲ ଆସିଥିଲା ଯେଉଁଥିରେ ତାଙ୍କୁ ସତର୍କ ରହିବାକୁ କୁହାଯାଇଥିଲା । ଆଉ ଆଜି ସକାଳ ପ୍ରାୟ ୧୧ଟା ସମୟରେ ନିଜଘର ସନ୍ଥପଡ଼ା ଗ୍ରାମରୁ ସନ୍ଥପଡ଼ା ବାଲି ଘାଟ ଆଡ଼କୁ ଭୁକ୍ତା ଶୌଚ ହେବାକୁ ଯାଇଥିଲେ । ତେବେ ଏହି ସମୟରେ ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ହଠାତ ତାଙ୍କ ପାଖକୁ ଆସି ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରି ଚାଲି ଯାଇଥିଲେ । ପରେ ଶ୍ରୀ ଭୁକ୍ତା ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଆକ୍ରମଣ ହୋଇଥିବା ସ୍ଥାନରୁ ଘୋସାଡି ହୋଇ ରାସ୍ତାରେ ରଖିଥିବା ନିଜ ବାଇକ ପାଖକୁ ଆସିଥିଲେ । ବାଇକ୍‌ରେ ଥିବା ମୋବାଇଲରୁ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ଜଣାଇଥିଲେ । ପରେ ସମ୍ପର୍କୀୟ ସଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତାଳଚେର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିବ ଜଣା ପଡ଼ିଛି।
ଘଟଣା ସ୍ଥଳରେ ତାଳଚେର ଏସ୍‌ଡିପିଓ ଭରତ ଚରଣ ସାହୁ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page