୬ ଲକ୍ଷରୁ ଅଧିକ ଟଙ୍କା ସହ ୩୦.୨୫ ଗ୍ରାମ ବ୍ରାଉନ୍ ସୁଗାର ଜବତ

ଅନୁଗୋଳ – ଅନୁଗୋଳରେ ଜାରି ରହିଛି ଅପରେସନ୍ ପ୍ରହାର । ଛେଣ୍ଡିପଦାରେ ଧଳାଜହର କାରବାର ବିରୋଧରେ ପୋଲିସର ବଡ଼ ଚଢ଼ାଉ। ଚଢ଼ାଉ ବେଳେ ୩୦.୨୫ ଗ୍ରାମ ବ୍ରାଉନ୍ ସୁଗାର, ୬ ଲକ୍ଷ ୩୧ ହଜାର ଟଙ୍କା, ଏକ କିଆ କାର ଓ ଏକ ମୋଟରସାଇକେଲ ଜବତ କରିଛି ପୋଲିସ। ଘଟଣାରେ ଦୁଇଜଣ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ, ତିନି ଜଣ ମହିଳାଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଦେଖନ୍ତୁ ଏହି ରିପୋର୍ଟ। ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଅପରେସନ୍ ପ୍ରହାର ଅଧୀନରେ ସ୍ପେଶାଲ୍ ସ୍କ୍ୱାଡ୍, ଜରପଡ଼ା ଓ ଛେଣ୍ଡିପଦା ଥାନା ପୋଲିସ ବିଶ୍ୱସ୍ତ ସୂଚନା ପାଇ ଛେଣ୍ଡିପଦା ମଶାଣି ନିକଟସ୍ଥ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପାଖରେ ଚଢ଼ାଉ କରିଥିଲେ। ସେଠାରୁ ଏକ ନାଲି ରଙ୍ଗର କିଆ କାର, ଏକ ମୋଟରସାଇକେଲ ସହ ୩୦.୨୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା ।

ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ମନୋରଞ୍ଜନ ସାହୁଙ୍କ ଉପସ୍ଥିତିରେ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା। ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ୩୧ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଜଳେଶ୍ୱର ଶାସନବେଡ଼ା ଅଞ୍ଚଳର ସେକ୍ ସାହିଦ୍ ଓ ବାଲିପଟ୍ଟା ଗ୍ରାମର ରଞ୍ଜିତ ପ୍ରଧାନଙ୍କୁ ଗିରଫ କରାଯାଇଛି। ସେହିପରି ତିନିଜଣ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି।

ପୋଲିସ କହିଛି, ଗତ ଦୁଇ ମାସ ମଧ୍ୟରେ ଛେଣ୍ଡିପଦା ଓ ଜରପଡ଼ା ଥାନା ଅଞ୍ଚଳରେ ଚାଲିଥିବା ଧଳାଜହର ବିରୋଧୀ ଅଭିଯାନରେ ୧୫ ଜଣ ଧଳାଜହର କାରବାରୀଙ୍କୁ ଗିରଫ କରାଯାଇଛି। ଏହି ସମୟରେ ୮୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଓ ୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏନେଇ ଛେଣ୍ଡିପଦା ଥାନାରେ କେସ୍ ନମ୍ବର ୩୪୨/୨୬ ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଧଳାଜହର କାରବାର ବିରୋଧରେ ଆଗାମୀ ଦିନରେ ଆହୁରି କଡ଼ା ଅଭିଯାନ ଜାରି ରହିବ ବୋଲି ଛେଣ୍ଡିପଦା ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page