ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମପଞ୍ଚାୟତର କୁମ୍ଭକର୍ଣ୍ଣସାହିରେ ଘଟିଥିବା ଚାଞ୍ଚଲ୍ୟକର ଯୁବକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସାଇଣ୍ଟିଫିକ୍ ଟିମ୍ ସହ ତିନୋଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା।
ସୂଚନା ଅନୁସାରେ ,ଗତ ଶନିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ହେମନ୍ତ ବେହେରା ଘର ପାଇଁ ରାସନ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣା ପରେ ମୃତକଙ୍କ ସ୍ତ୍ରୀ ପରମିତା ବେହେରା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏସଡିପିଓ ରମାକାନ୍ତ ମହାଳିକଙ୍କ ତତ୍ତ୍ୱାବଧାନରେ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ , ସାଇଣ୍ଟିଫିକ୍ ଟିମ୍, ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ବୈଜ୍ଞାନିକ ପ୍ରମାଣକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତମାନେ ଜଙ୍ଗଲ ରାସ୍ତାରେ ଫେରାର ହେବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ କାବୁ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଶରଧାପୁର ଗ୍ରାମର ଜୁଲୁ ବେହେରା (୨୪), ବନ୍ତଳା ଥାନା ଖାଲଗାଁର କିଷାନ ବାରିକ (୨୨) ଏବଂ ରିତେଶ ସାହୁ (୨୧)। ପୋଲିସ ସେମାନଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି।

ପୋଲିସ କହିଛି, ହତ୍ୟାର ପ୍ରକୃତ କାରଣ ଏବଂ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି।


