ଛେଣ୍ଡିପଦା – ସୀମିତ ଆର୍ଥିକ ସମ୍ବଳ ଓ ଚାଷୀ ପରିବାରର ସଂଘର୍ଷ ମଧ୍ୟରୁ ଉଠିଆସି ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ପଞ୍ଚାୟତର ବିଜୟ ପ୍ରଧାନ। ସେ ୭୨୦ରୁ ୬୮୬ ନମ୍ବର ହାସଲ କରି ସର୍ବଭାରତୀୟ ସ୍ତରରେ ୧୬୮ତମ ରାଙ୍କ ଅଧିକାର କରିଛନ୍ତି। ଏହି ସଫଳତା ସହ ସେ ଡାକ୍ତରୀ ପଢ଼ିବାର ସ୍ୱପ୍ନକୁ ସାକାର କରିଛନ୍ତି।

ବିଜୟଙ୍କ ପିତା ବିନୋଦ ପ୍ରଧାନ ଓ ମାତା ବିଜୁଳି ପ୍ରଧାନ ଜଣେ ସାଧାରଣ ଚାଷୀ। କଠିନ ପରିଶ୍ରମ କରି ସେମାନେ ଦୁଇ ଯାଆଁଳା ପୁଅଙ୍କୁ ଉଚ୍ଚଶିକ୍ଷା ଦେବାର ସ୍ୱପ୍ନ ଦେଖିଥିଲେ। ସେହି ସ୍ୱପ୍ନ ୨୦୨୫ରେ ବଡ଼ ପୁଅ ଅଜୟ ପ୍ରଧାନ ନିଟ୍ରେ ସଫଳତା ପାଇ ବୁର୍ଲାରେ ଏମ୍ବିବିଏସ୍ ପଢ଼ିବା ଆରମ୍ଭ କରିବା ପରେ ଏବେ ସାନ ପୁଅ ବିଜୟଙ୍କ ସଫଳତା ସହ ପୂର୍ଣ୍ଣତା ପାଇଛି।
ବିଜୟ ଗ୍ରାମର ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ୮୭ ପ୍ରତିଶତ ଓ ଢେଙ୍କାନାଳର ଏକ ଘରୋଇ ଯୁକ୍ତ ଦୁଇ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ହାସଲ କରିଥିଲେ। ଦ୍ୱିତୀୟ ପ୍ରୟାସରେ ନିଟ୍-ୟୁଜିରେ ଏହି ଉଲ୍ଲେଖନୀୟ ସଫଳତା ମିଳିଥିବା ବେଳେ, ପ୍ରତିଦିନ ୮ରୁ ୯ ଘଣ୍ଟା ନିୟମିତ ଅଧ୍ୟୟନ ଓ ଲକ୍ଷ୍ୟ ପ୍ରତି ଏକାଗ୍ରତା ହିଁ ସଫଳତାର ମୂଳମନ୍ତ୍ର ବୋଲି ସେ କହିଛନ୍ତି।
ବିଜୟଙ୍କ ଏହି କୃତିତ୍ୱ ପାଇଁ ବ୍ରାହ୍ମଣବିଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ଧଳଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଚାଷୀ ପରିବାରରୁ ଦୁଇ ପୁଅଙ୍କୁ ଡାକ୍ତର କରିବାର ଗୌରବ ଅର୍ଜନ କରିଥିବାରୁ ବିନୋଦ ପ୍ରଧାନଙ୍କ ପରିବାର ଆଜି ସମଗ୍ର ଛେଣ୍ଡିପଦା ଅଞ୍ଚଳ ପାଇଁ ଗର୍ବ ଓ ପ୍ରେରଣା ପାଲଟିଛି।


