ଅଧ୍ୟକ୍ଷ-କାଉନସିଲରଙ୍କ ମଧ୍ୟରେ ହାତାହାତି, ଥାନାରେ କୋଳାକୋଳିରେ ସରିଲା ବିବାଦ

ତାଳଚେର – ତାଳଚେର ପୌରପାଳିକାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ନେଇ ପୌରାଧ୍ୟକ୍ଷ ଓ ଜଣେ କାଉନସିଲରଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଅଭିଯୋଗ ଅନୁସାରେ, ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ପୌରାଧ୍ୟକ୍ଷ କାଉନସିଲରଙ୍କୁ ଧକ୍କା ଦେବା ସହ ତାଙ୍କ ତଣ୍ଟି ଚିପିଥିଲେ ଏବଂ ମୁଥ ମାରିଥିବା ଅଭିଯୋଗ ହୋଇଛି। ଘଟଣା ପରେ କାଉନସିଲର ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାରୁ ମାମଲା ଥଣ୍ଡା ପଡ଼ିଥିଲା ଏବଂ ଦୁହେଁ କୋଳାକୋଳି ହୋଇ ଥାନାରୁ ବାହାରିଥିଲେ।

ସୂଚନା ଅନୁସାରେ, ତାଳଚେର ପୌରପାଳିକାର ୧୨ ନମ୍ବର ୱାର୍ଡର କାଉନସିଲର ସଞ୍ଜୀବ ଗଡନାୟକ ନିଜ ୱାର୍ଡରେ ଦୀର୍ଘଦିନ ଧରି ରହିଥିବା ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ନେଇ ଆଲୋଚନା ପାଇଁ ପୌରପାଳିକାକୁ ଯାଇଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଏହି ସମୟରେ ପୌରାଧ୍ୟକ୍ଷ ପବିତ୍ର ଭୂତିଆଙ୍କ ସହ ତାଙ୍କର ବଚସା ହୋଇଥିଲା।

କାଉନସିଲର ସଞ୍ଜୀବ ଗଡନାୟକଙ୍କ ଅଭିଯୋଗ ଅନୁସାରେ, ବଚସା ବେଳେ ପୌରାଧ୍ୟକ୍ଷ ତାଙ୍କୁ ଧକ୍କା ଦେବା ସହ ତଣ୍ଟି ଚିପିଥିଲେ ଏବଂ “ତୁମ ୱାର୍ଡରେ କୌଣସି କାମ ହେବ ନାହିଁ, ଯାହା କରିବା କଥା କର” ବୋଲି କହିଥିଲେ। ଏହା ପରେ ସେ ତାଳଚେର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦେବା ପାଇଁ ଦରଖାସ୍ତ ମଧ୍ୟ ପ୍ରସ୍ତୁତ କରିଥିଲେ।

ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୌରାଧ୍ୟକ୍ଷ ପବିତ୍ର ଭୂତିଆ ମଧ୍ୟ ଥାନାରେ ପହଞ୍ଚି ସଞ୍ଜୀବଙ୍କ ସହ ଆଲୋଚନା କରିଥିଲେ। ଉଭୟଙ୍କ ମଧ୍ୟରେ ବୁଝାସୁଝା ପରେ ମାମଲାର ସମାଧାନ ହୋଇଥିଲା ଏବଂ ଦୁହେଁ ପରସ୍ପରକୁ କୋଳାକୋଳି କରି ଥାନାରୁ ବାହାରିଥିଲେ।

ହେଲେ ଘଟଣା ଏତିକିରେ ସରିନଥିଲା। ସନ୍ଧ୍ୟାରେ କାଉନସିଲର ସଞ୍ଜୀବ ଗଡନାୟକ ଗଣମାଧ୍ୟମ ସମ୍ମୁଖରେ ପୁଣି ନିଜ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଏପରି ବ୍ୟବହାର ପରେ ସେ ଆଉ ପୌରପାଳିକା କାର୍ଯ୍ୟାଳୟକୁ ଯିବେ ନାହିଁ। ଏହି ଘଟଣାକୁ ନେଇ ତାଳଚେର ରାଜନୈତିକ ଓ ପୌର ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page