ଅନୁଗୋଳ – ଦିଲ୍ଲୀ ଓ ଭୁବନେଶ୍ୱରରେ କଂଗ୍ରେସର ଆନ୍ଦୋଳନରତ ନେତା ଓ କର୍ମୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ କଡ଼ା ବିରୋଧ କରି ଅନୁଗୋଳ ଜିଲ୍ଲା କଂଗ୍ରେସ ବୁଧବାର ରାଜରାସ୍ତାକୁ ଓହ୍ଲାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ବାହାରିଥିବା ଶତାଧିକ କର୍ମୀଙ୍କ ଶୋଭାଯାତ୍ରା ସହରର ପ୍ରମୁଖ ରାସ୍ତା ପରିକ୍ରମା କରି ଥାନା ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ବିକ୍ଷୋଭକାରୀମାନେ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ଦେଇ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରାଯାଉଥିବା ଅଭିଯୋଗ ଉଠାଇଥିଲେ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ପରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶୀର୍ଷ ନେତୃବୃନ୍ଦଙ୍କୁ ଅଟକ ରଖାଯିବା ଏବଂ ଭୁବନେଶ୍ୱରରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ପୋଲିସ ଉଠାଇ ନେବା ଘଟଣା ଗଣତନ୍ତ୍ର ପାଇଁ ଅଶୁଭ ସଙ୍କେତ।
ପ୍ରତିବାଦ ସଭାରେ ବକ୍ତାମାନେ କହିଥିଲେ, ବିରୋଧୀ ସ୍ୱରକୁ ଦମନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟର “ଡବଲ ଇଞ୍ଜିନ ସରକାର” ପୋଲିସ ପ୍ରଶାସନର ଅପବ୍ୟବହାର କରୁଛନ୍ତି। ଏଭଳି ଦମନମୂଳକ ନୀତି ବିରୋଧରେ କଂଗ୍ରେସର ଲଢ଼େଇ ଆଗାମୀ ଦିନରେ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାନେତ୍ରୀ ସସ୍ମିତା ବେହେରା, ପଛୁଆ ବର୍ଗ ସେଲ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଉପସଭାପତି ଚିତ୍ତରଞ୍ଜନ ନାଏକଙ୍କ ସମେତ ବହୁ ବରିଷ୍ଠ ନେତା ଓ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ସରକାର ବିରୋଧରେ ନିଜର କ୍ଷୋଭ ପ୍ରକାଶ କରିଥିଲେ।


