ରାତି ଅଧରେ ପୁଲିସ ବାବୁଙ୍କ ରାସଲୀଳା – ଘରେ ତାଲା ପକାଇ ଦେଲେ ପରିବାର

ଅନୁଗୋଳ – ଅନୁଗୋଳ ଜିଲ୍ଲାର ବାଗଡ଼ିଆ ଥାନା ଅଞ୍ଚଳର ଜଣେ ପୁଲିସ କର୍ମଚାରୀଙ୍କୁ ନେଇ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ବିବାହିତ ଜଣେ ମହିଳାଙ୍କ ଘରେ ମଧ୍ୟରାତ୍ରରେ ପ୍ରବେଶ କରିଥିବା ବେଳେ ପରିବାର ଲୋକ ତାଙ୍କୁ ଏକ କୋଠରୀ ଭିତରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ପରେ ପିସିଆର ଟିମ୍ ଆସି ଜୋରଜବରଦସ୍ତି କରି ତାଲା ଭାଙ୍ଗି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ନେଇ ଯାଇଥିବା ନେଇ ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ଉଠିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ସହ ଉକ୍ତ ମହିଳାଙ୍କ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ସେ ଅନେକ ସମୟରେ ରାତିରେ ଚୁପଚାପ ଘରକୁ ଆସୁଥିବା ଏବଂ ଭୋର ହେବା ପୂର୍ବରୁ ଫେରିଯାଉଥିବା କୁହାଯାଇଛି। ଗୁରୁବାର ରାତିରେ ସେ ଘରର ଛାତ ଦେଇ ଉପର ମହଲାରେ ଥିବା ମହିଳାଙ୍କ କୋଠରୀକୁ ପ୍ରବେଶ କରିଥିଲେ।ଏହି ସମୟରେ ମହିଳାଙ୍କ ସ୍ୱାମୀ ଜାଣିପାରି ନିଜ ବାପା ଓ ମା’ଙ୍କୁ ଡାକିଥିଲେ। ପୁଲିସ ବାବୂ ଜଣଙ୍କ କୁଆଡେ ଅସଙ୍ଗତ ଅବସ୍ଥାରେ ଥିବା ବେଳେ ତିନିଜଣ ମିଶି କୋଠରୀ ବାହାରୁ ତାଲା ପକାଇ ଦେବା ସହ ସାହି ପଡ଼ିଶା ଓ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ତେବେ କିଛି ସମୟ ପରେ ଏକ ପିସିଆର ଭ୍ୟାନ୍ ସେଠାରେ ପହଞ୍ଚିଥିଲା।

ପରିବାରର ଅଭିଯୋଗ ଅନୁଯାୟୀ, ପୁଲିସ କର୍ମଚାରୀମାନେ ଘର ଲୋକଙ୍କୁ ଧମକ ଦେବା ସହ ବଳ ପୂର୍ବକ କବାଟ ଖୋଲିବାକୁ ଉଦ୍ୟମ କରିଥିଲେ। ପରେ ତାଲା ଭାଙ୍ଗି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ସେଠାରୁ ନେଇଯାଇଥିବା ସହ ପରିବାର ସଦସ୍ୟଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲେ ବୋଲି ଅଭିଯୋଗ କରାଯାଇଛି। ଏ ନେଇ ବାଗଡ଼ିଆ ଥାନାରେ ମହିଳାଙ୍କ ସ୍ୱାମୀ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ସମ୍ପୃକ୍ତ ପୁଲିସ ବାବୂ କୁଆଡେ ମହିଳାଙ୍କ ଠାରୁ ଅଭିଯୋଗ ପାଇ ତାଙ୍କ ଘରକୁ ଯାଇଥିବା କଥା କହିଛନ୍ତି । ତାଙ୍କ କହିବା କଥା ମହିଳା ଜଣଙ୍କୁ କୁଆଡେ ତାଙ୍କ ପରିବାର ନିର୍ଯାତନା ଦେଉଥିବା ନେଇ ତାଙ୍କୁ ଫୋନ କରିଥିଲେ । ଅଭିଯୋଗ ପାଇ ସେ ତାଙ୍କ ଘରକୁ ଯାଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ମହିଳା ଯଦି ନିର୍ଯାତନା ନେଇ ଅଭିଯୋଗ କରିଥିଲେ ପୁଲିସ ବାବୂ ଜଣଙ୍କ ଏକୁଟିଆ ଗଲେ କାହିଁକି ? ମହିଳା ପୁଲିସ କର୍ମଚାରୀ ନେଇ ଗଲେ ନାହିଁ କାହିଁକି ? ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ କି ? ଆଉ ଯଦି ଏତେ ବ୍ୟସ୍ତ ହୋଇ ଗଲେ ତେବେ ପରିବାର ଲୋକଙ୍କୁ ନ ଡାକି ଭିତରକୁ ଗଲେ କିଭଳି ଭଳି ଅନେକ ପ୍ରଶ୍ନ ଉଠୁଛି ।

ଘଟଣା ପରେ ପୀଡ଼ିତ ପରିବାର ଅନୁଗୋଳ ଏସ ଡି ପି ଓଙ୍କ ନିକଟରେ ଅଭିଯୋଗ କରି ଘଟଣାର ନିରପେକ୍ଷ ତଦନ୍ତ ଏବଂ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏସ ଡି ପି ଓ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ସମ୍ପୃକ୍ତ ପୁଲିସ ବାବୁଙ୍କୁ ଏସ ଡି ପି ଓ ଅଫିସକୁ ବଦଳି କରିଥିବା ଶୁଣା ଯାଉଛି ।

(ଟିପ୍ପଣୀ: ସମ୍ପୃକ୍ତ ପୁଲିସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଆଧିକାରିକ ପ୍ରତିକ୍ରିୟା କିମ୍ବା ତଦନ୍ତର ଫଳାଫଳ ଆସିବା ବାକି ରହିଛି।)

Advertisement

Leave a Reply

Your email address will not be published. Required fields are marked *

You cannot copy content of this page