ସରକାରୀ ଅର୍ଥ ଆତ୍ମସାତ ମାମଲାରେ ପୂର୍ବତନ ଭିଜିଲାନ୍ସ ଡିଏସ୍‌ପିଙ୍କୁ ୫ ବର୍ଷ ଜେଲ୍

ଅନୁଗୋଳ: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅନୁଗୋଳର ପୂର୍ବତନ ଭିଜିଲାନ୍ସ ଡିଏସ୍‌ପି ଗୌତମ କୁମାର ମଲ୍ଲିକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ଅନୁଗୋଳ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଶରତ କୁମାର ଜେନା। ଅଗଷ୍ଟ ୧୧ ତାରିଖରେ ମାମଲାର ଶୁଣାଣି କରି ଅଦାଲତ ଏହି ରାୟ ପ୍ରକାଶ କରିଛନ୍ତି।

ମାମଲାରୁ ପ୍ରକାଶ ଯେ, ୨୦୦୯ ମସିହାରେ ଗୌତମ କୁମାର ମଲ୍ଲିକ ଅନୁଗୋଳ ଭିଜିଲାନ୍ସ ଡିଏସ୍‌ପି ଭାବେ କାର୍ଯ୍ୟରତ ଥିବା ସମୟରେ ୪ ଲକ୍ଷ ଜବତ ଟଙ୍କା ମାଲଖାନାରେ ଜମା ନ କରି ଅର୍ଥ ଅନିୟମିତତା ଅଭିଯୋଗ ଉଠିଥିଲା। ତାଙ୍କ ବଦଳି ପରେ ମଧ୍ୟ ସମ୍ପୃକ୍ତ ମାମଲାର ଫାଇଲ୍‌ ଓ ଦଲିଲପତ୍ର ଉତ୍ତରାଧିକାରୀ ଅଧିକାରୀଙ୍କୁ ଜାଣିଶୁଣି ହସ୍ତାନ୍ତର କରାଯାଇନଥିବା ମଧ୍ୟ  ଅଭିଯୋଗ ହୋଇଥିଲା।

ଏନେଇ ବାରମ୍ବାର ଚିଠି ମାଧ୍ୟମରେ ତଥ୍ୟ ଓ ଦଲିଲପତ୍ର ଦେବାକୁ କୁହାଯାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିନଥିଲା। ପରେ ଏସ୍‌ପି ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ୨୦୧୪ ମସିହାରେ ଅନୁଗୋଳ ଥାନାରେ ମାମଲା ରୁଜୁ ହୋଇଥିଲା। ସେତେବେଳେ ଶୁଭନାରାୟଣ ମୁଦୁଲି ଅନୁଗୋଳ ଥାନାର ଭାରପ୍ରାପ୍ତ ଅଧିକାରୀ ଥିଲେ।

ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ୧୬ ଡିସେମ୍ବର ୨୦୧୬ରେ ଅଭିଯୋଗ ଗଠନ କରାଯାଇ ମାମଲାର ଶୁଣାଣି ଚାଲିଥିଲା। ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ଅଦାଲତ ଗୌତମ କୁମାର ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।

ସରକାରଙ୍କ ପକ୍ଷରୁ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦେବତା ମାମଲା ପରିଚାଳନା କରିଥିବା ବେଳେ ଢେଙ୍କାନାଳ-ଅନୁଗୋଳ ଡେପୁଟି ଡାଇରେକ୍ଟର ଅଫ୍‌ ପ୍ରସିକ୍ୟୁସନ୍‌ ଗଣେଶ୍ୱର ବେହେରା ମାମଲାରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page