ଅନୁଗୋଳରେ ବିକାଶ ପ୍ରକଳ୍ପକୁ ନୂଆ ଗତି – ତାଳଚେରରେ ୬୨ କୋଟିରୁ ଊର୍ଦ୍ଧ୍ୱତାଳଚେରରେ ୬୨ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଅନୁଗୋଳ – ଅନୁଗୋଳ ଜିଲ୍ଲାର ସହରାଞ୍ଚଳ ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ତାଳଚେର ଓ ଅନୁଗୋଳ ପୌରାଞ୍ଚଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଛନ୍ତି।

ତାଳଚେର ପୌରପରିଷଦ ଅଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠି (DMF) ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ₹୬୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ସହରର ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଓ ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦେବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ସହ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ତାଳଚେରରେ ଆର୍ଟ କଲେଜ ଓ ଚିଡ଼ିଆଖାନା ପ୍ରତିଷ୍ଠା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଥିବା ସେ କହିଥିଲେ।

ପରେ ଅନୁଗୋଳର କଦମ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ₹୯.୭୧ କୋଟିର ୪ଟି ବିକାଶମୂଳକ ପ୍ରକଳ୍ପ ଏବଂ ୧୩ଟି ନୂତନ ଯାନବାହନର ଉଦ୍‌ଘାଟନ କରାଯାଇଥିଲା। ଏଥିରେ ₹୩ କୋଟି ବ୍ୟୟର FSTP, ₹୮୯.୧୦ ଲକ୍ଷର ଲିଗାସି ୱେଷ୍ଟ ପ୍ରକଳ୍ପ ଓ ରାଜା ଛକରୁ ଥାନା ଛକ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ପାଇଁ ₹୨୭ ଲକ୍ଷର ଆଲୋକୀକରଣ ପ୍ରକଳ୍ପ ସାମିଲ ରହିଛି।

ଏହାସହ ୪ଟି ଟାଟା ମିନି ଟିପର, ୪ଟି ଫଗିଂ ମେସିନ୍, ବବକ୍ୟାଟ୍ JCB, ବବକ୍ୟାଟ୍ ସ୍କିଡର, ସେସ୍‌ପୁଲ୍ ଯାନ ଓ ୨ଟି ପୋଲିସ ପାଟ୍ରୋଲିଂ ଗାଡ଼ିର ମଧ୍ୟ ଶୁଭାରମ୍ଭ ହୋଇଛି। ଏଥିସହ ₹୫.୫ କୋଟିରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ନୂତନ ଫ୍ଲଡଲାଇଟ୍ର ଉଦ୍‌ଘାଟନ କରାଯାଇଛି।

କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଜିଲ୍ଲା ଶିଳ୍ପକେନ୍ଦ୍ର (DIC)ର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯୁବପିଢ଼ିଙ୍କୁ ଅଧିକ ରୋଜଗାରକ୍ଷମ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ ଅଖ୍ତର, ଏସ୍‌ପି ରାହୁଲ ଜୈନ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୌରପରିଷଦ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page