ଛେଣ୍ଡିପଦା – ଅନୁଗୋଳ ବାଗଡ଼ିଆ ଥାନା ଅଞ୍ଚଳରେ ଲୁଟ୍ । ୪ ବ୍ୟବସାୟୀ ରହୁଥିବା ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟ୍ କରିବା ସହ ଏକ ବସ୍ତା ଚୁଟି(ବାଳ) ନେଇ ଫେରାର ହୋଇଗଲା ଦୁର୍ବୃତ୍ତ । ସେହି ସମୟରେ ବ୍ୟବସାୟୀ ଘରକୁ ଫେରିବାରୁ ସ୍କୁଟି ଓ ବ୍ୟାଗ ଛାଡ଼ି ଚମ୍ପଟ ମାରିଲା ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଛାନଭିନ୍ କରିଛି । ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାକୁ ଧରିବାକୁ ଉଦ୍ୟମ ଚଳାଇଛି ।

ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ବଡ଼ଯୋରା ନିକଟରେ ଘଟିଛି ଏହି ଲୁଟ୍ ଘଟଣା । ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ୪ ଜଣ ବ୍ୟବସାୟୀ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବାଗଡ଼ିଆ ଅଞ୍ଚଳର ବିଭିନ୍ନ ଗାଁରେ ବୁଲି ବ୍ୟବସାୟ କରୁଛନ୍ତି । ସେମାନେ ବଡ଼ଯୋରା ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି । ଆଜି ସକାଳେ ୪ ଜଣ ବ୍ୟବସାୟ ପାଇଁ ବାହାରକୁ ଯାଇଥିବା ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ସ୍କୁଟିରେ ଆସି ରାସ୍ତାକଡ଼ରେ ଗାଡ଼ି ରଖି ଘର ଭିତରକୁ ପଶିଥିଲା । ଘରର ୪ଟି ରୁମର ତାଲା ଭାଙ୍ଗି ଟଙ୍କା ଲୁଟ୍ କରିଥିଲା ଦୁର୍ବୃତ୍ତ ।
ଏହି ସମୟରେ ବ୍ୟବସାୟୀ ଚନ୍ଦନ ସେଠୀ ହଠାତ୍ ଘରକୁ ଫେରି ଆସିଥିଲେ । ତାଙ୍କୁ ଦେଖି ଦୁର୍ବୃତ୍ତ ଭୟରେ ଘର ପଛପଟ ଦେଇ ଦୌଡ଼ି ପଳାଇଥିଲା । ତେବେ ଘରୁ ୧ ଲକ୍ଷ ୧୧ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଏକ ଅବସ୍ଥାରେ ପ୍ରାୟ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ବ ଚୁଟି(ବାଳ) ଲୁଟ ହୋଇଥିବା ଅଭିଯୋଗ ହୋଇଛି । ପଳାଇବା ବେଳେ ଦୁର୍ବୃତ୍ତ ନିଜର ସ୍କୁଟି ଓ ଏକ ବ୍ୟାଗ ଘଟଣାସ୍ଥଳରେ ଛାଡ଼ି ଯାଇଛି । ଘଟଣା ପରେ ବ୍ୟବସାୟୀ ଚନ୍ଦନ ସେଠୀ ବାଗଡ଼ିଆ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାକୁ ଠାବ କରିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ ।
ତେବେ ଦିନ ଦ୍ୱିପ୍ରହରରେ ଘରେ ପଶି ଏଭଳି ଲୁଟ୍ ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ବଢ଼ିଥିବା ବେଳେ ଖୁବ୍ଶୀଘ୍ର ଲୁଟେରା ଧରାପଡ଼ିବ ବୋଲି ଆଶା କରାଯାଉଛି ।

