ବହୁ ଚର୍ଚ୍ଚିତ ସୁଭଦ୍ରା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଯାବତଜୀବନ କାରାଦଣ୍ଡ

ଅନୁଗୋଳ – ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଅନୁଗୋଳ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ (FTSC) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଦୋଷୀଙ୍କୁ ଯାବତଜୀବନ କାରାଦଣ୍ଡ ସହ ବିଭିନ୍ନ ଦଫାରେ ଜରିମାନା ଦଣ୍ଡାଦେଶ ହୋଇଛି। ଏଥିସହ ପୀଡ଼ିତାଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନୁଗୋଳ ମାନ୍ୟବର ଆଡ୍‌-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ତଥା FTSC ବିଚାରପତି ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର C.T.(S) Case No. 458/2025ର ବିଚାର କରି ମୁଖ୍ୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୨୪ ମସିହା ମେ’ ୪ ତାରିଖରେ ବଅଁରପାଳ ଥାନାରେ ରୁଜୁ ହୋଇଥିବା Case No. 0183ର ତଦନ୍ତ ଓ ଅଦାଲତରେ ଉପସ୍ଥାପିତ ସାକ୍ଷ୍ୟ-ପ୍ରମାଣକୁ ଆଧାର କରି ଏହି ରାୟ ପ୍ରକାଶ ପାଇଛି।

ସୂଚନା ଅନୁସାରେ ଭୁବନେଶ୍ୱରରେ ଚାକିରୀ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ସୁଭଦ୍ରା ପାଦିଲ କଣିହାଁ ଅଞ୍ଚଳରେ ଥିବା ନିଜ ଗାଁରୁ ଭୁବନେଶ୍ୱର ଯିବା ପାଇଁ ତାଳଚେର ରେଳ ଷ୍ଟେସନକୁ ଯାଉଥିଲେ । ତେବେ ଟ୍ରେନ ବିଳମ୍ବ ଥିବା ବେଳେ ଆଉ ସୁଭଦ୍ରାଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ଅଟୋ ଡ୍ରାଇଭର ବିଶୁ ଗୋଛାୟତ ସୁଭଦ୍ରାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇ ବାରମ୍ବାର ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ଘଟଣାର ଦୁଇ ଦିନ ପରେ ମୃତଦେହ ମିଳିବାଵପରେ ପୁଲିସ ତଦନ୍ତ କରିଥିଲା । ଆଉ ଫେରାର ହୋଇ ଯିବାକୁ ଚେଷ୍ଟା କରୁଥିବା ବେଳେ ରାଜ୍ୟ ବାହାରୁ ବିଶୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ମାମଲାରେ ଅଦାଲତ ଦେଇଥିବା ଦଣ୍ଡାଦେଶ —

  • BNS ଦଫା ୬୪(୧) (ଦୁଷ୍କର୍ମ): ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ।
  • BNS ଦଫା ୬୬ (ପୀଡ଼ିତାଙ୍କ ମୃତ୍ୟୁ ବା ସାଂଘାତିକ ଅବସ୍ଥା): ଯାବତଜୀବନ କାରାଦଣ୍ଡ ସହ ୪୦,୦୦୦ ଟଙ୍କା ଜରିମାନା। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୨ ବର୍ଷ ସଶ୍ରମ କାରାଦଣ୍ଡ।
  • BNS ଦଫା ୧୦୩(୧) (ହତ୍ୟା): ଆଜୀବନ କାରାଦଣ୍ଡ ସହ ୩୦,୦୦୦ ଟଙ୍କା ଜରିମାନା। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୫ ବର୍ଷ ସଶ୍ରମ କାରାଦଣ୍ଡ।
  • BNS ଦଫା ୨୩୮(ଏ) (ଅପରାଧର ପ୍ରମାଣ ନଷ୍ଟ କରିବା): ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୩ ମାସ ସଶ୍ରମ କାରାଦଣ୍ଡ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉପରୋକ୍ତ ସମସ୍ତ ଦଣ୍ଡାଦେଶ ଏକକାଳୀନ (concurrently) ଚାଲିବ। ତେଣୁ ଦୋଷୀଙ୍କୁ ଯାବତଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ମାମଲାରେ ସରକାରଙ୍କ ପକ୍ଷରୁ ଅନୁଗୋଳ ସରକାରୀ ଓକିଲ ଏବଂ ସହଯୋଗୀ ଆଇନଜୀବୀମାନେ ମାମଲା ପରିଚାଳନା କରିଥିଲେ। ସେମାନଙ୍କ ଉପସ୍ଥାପିତ ଯୁକ୍ତି, ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତ ଓ ଉପଲବ୍ଧ ସାକ୍ଷ୍ୟ-ପ୍ରମାଣକୁ ବିଚାରକୁ ନେଇ କୋର୍ଟ ଏହି ରାୟ ଦେଇଛନ୍ତି।

ପୀଡ଼ିତାଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଛି।

ଦୁଷ୍କର୍ମ ଓ ହତ୍ୟା ଭଳି ଗୁରୁତର ଅପରାଧରେ ଅନୁଗୋଳ FTSCଙ୍କ ଏହି କଠୋର ରାୟ ଅପରାଧୀଙ୍କ ପାଇଁ ଦୃଢ଼ ବାର୍ତ୍ତା ଦେଇଥିବା ବେଳେ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଉଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page