ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ଆଜି ଏକ ବ୍ରାଉନସୁଗାର ରାକେଟକୁ ଧରିବାରେ ସଫଳ ହୋଇଛି । ବିକ୍ରି ପାଇଁ ଏକ କାରରେ ବ୍ରାଉନସୁଗାର ଧରି ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩.୮୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ।

ସୂଚନା ଅନୁସାରେ ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଆମ୍ଭ ତୋଟା ନିକଟରେ ଏକ ମାରୁତି କାରରେ ୪ ଜଣ ଯୁବକ ବ୍ରାଉନସୁଗାର ବିକ୍ରି କରିବାକୁ ଗରାଖ ଅପେକ୍ଷାରେ ଥିବା କଥା ପୁଲିସକୁ ସୂଚନା ମିଳିଥିଲା । ଏହି ଖବର ମିଳିବା ପରେ ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ନିର୍ଦେଶରେ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ତତ୍ୱାବଧାନରେ ଏକ ଟିମ ସେଠାରେ ଚଢ଼ାଉ କରୁଥିଲା । ଚଢ଼ାଉ ବେଳେ କାରରୁ ୧୩.୮୨୦ ଗ୍ରାମ ବ୍ରାଉନସୁଗାର ସହ ୪୦ ହଜାର ୫୬୦ ଟଙ୍କା ଜବତ ହୋଇଥିଲା । ପଚରାଉଚରା ବେଳେ ସେମାନେ ଗରାଖ ଅପେକ୍ଷାରେ ଥିବା ମାନି ଯାଇଥିଲେ । ଏଥିପାଇଁ ପୁଲିସ କାରରେ ଥିବା ସହରି ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ପ୍ରଗତିନଗରର ଗୁରୁ ଚରଣ ପ୍ରଧାନ , ଶିକ୍ଷକପଡାର ସୁମାନ ବେହେରା , କଣିହାଁ ଥାନା କଂସମୁଣ୍ଡା ଗାଁର ଅଜିତ ବେହେରା ଓ ସମାକୋଇ ଗାଁର ରାମ ସାହୁ । ଗିରଫ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

