କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଯବାନ ଗିରଫ

ଛେଣ୍ଡିପଦା – ଚାକିରୀ କରାଇ ଦେବାକୁ କହି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି ଜଣେ ଯବାନ । ଠକେଇ ନେଇ ଅଭିଯୋଗ ହେବା ପରେ ଯବାନ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଛେଣ୍ଡିପଦା ପୁଲିସ ।

ସୂଚନା ଅନୁସାରେ ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁର ସୁନିଲ କୁମାର ଗଡତିଆ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ସେହି ଗାଁର ସଞ୍ଜୀବ କୁମାର ସାହୁ ନାମକ ଜଣେ ଯୁବକ ଯେ କି ଭାରତୀୟ ସେନାରେ ହାବିଲଦାର ଚାକିରୀ କରିଛନ୍ତି । ସୁନିଲଙ୍କ ପୁଅକୁ ଚାକିରୀ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ସଂଜୀବ ୮ ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ । ତେବେ ବର୍ଷ ପରେ ବର୍ଷ ଗାଡି ଚାଲିଥିଲେ ମଧ୍ୟ ସଂଜୀବ ନା ଚାକିରୀ ଦେଲେ ନା ଟଙ୍କା ଫେରସ୍ତ କଲେ । ତେବେ ଏହା ଭିତରେ ସଂଜୀବ ପାତ୍ରପଡା ଗାଁର ପାଦକ ସାହୁଙ୍କ ଠାରୁ ୧୩ ଲକ୍ଷ ଟଙ୍କା , ଚାଙ୍ଗୁଡ଼ିଆ ଗାଁର ଶିବ ପ୍ରଧାନଙ୍କ ଠାରୁ ୭ ଲକ୍ଷ ୨୦ ହଜାର , ମାଛକୁଟା ଗାଁର ଝରଣା ମାଝୀଙ୍କ ଠାରୁ ୫ ଲକ୍ଷ ଟଙ୍କା , ଛେଣ୍ଡିପଦା ଗାଁର ଜଲିବାଳା ପ୍ରଧାନଙ୍କ ଠାରୁ ୧୪ ଲକ୍ଷ ୫୦ ହଜାର ଟଙ୍କା ଏଭଳି ଠକି ନେଇଥିବା ଜାଣିବାକୁ ପାଇଥିଲେ । ଠକାମୀର ଶିକାର ହୋଇଥିବା ଜାଣି ସମସ୍ତେ ମିଶି ଛେଣ୍ଡିପଦା ଥାନାରେ ସଞ୍ଜୀବଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଛେଣ୍ଡିପଦା ପୁଲିସ ଆଜି ସଂଜୀବଙ୍କୁ ତାଳଚେରରୁ ଗିରଫ କରିଛି । ତେବେ ତଦନ୍ତ ବେଳେ ଆହୁରି ଅନେକ ଲୋକଙ୍କଠାରୁ ସଂଜୀବ ଏଭଳି ଲକ୍ଷାଧିକ ଟଙ୍କା ଠକି ନେଇଥିବା ପୁଲିସ ଜାଣିବାକୁ ପାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page