ରୋଟାରୀ ପବ୍ଲିକ ସ୍କୁଲ ନାମରେ ଗୁରୁତର ଅଭିଯୋଗ – ୧୫ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ପାଇଁ ଆଦେଶ

ଅନୁଗୁଳ – ଅନୁଗୁଳ ସହରର ଏକ ପ୍ରସିଦ୍ଧ ବେସରକାରୀ ଶିକ୍ଷାନୁଷ୍ଠାନକୁ କେନ୍ଦ୍ର କରି ବଡ଼ ବିବାଦ ସୃଷ୍ଟି ହୋଇଛି । ବିଭିନ୍ନ ଗୁରୁତର ଅଭିଯୋଗ ଉଠିବା ପରେ, ଉତ୍ତର ମଣ୍ଡଳ ରେଭେନ୍ୟୁ ଡିଭିଜନାଲ କମିଶନର (ଆରଡିସି) କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କୁ ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ସାମାଜିକ କର୍ମୀ ତଥା ସ୍କୁଲ ଅଭିଭାବକ ସଂଘର କାର୍ଯ୍ୟକର୍ତ୍ତା ରଞ୍ଜିତ କୁମାର ପାତ୍ର ଓ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ଆଧାର କରି କମିଶନର କାର୍ଯ୍ୟାଳୟ ଏହି ପଦକ୍ଷେପ ନେଇଛି। ପତ୍ରରେ ଉଲ୍ଲେଖ ଅନୁଯାୟୀ, ସଂପୃକ୍ତ ସ୍କୁଲ୍‌ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣାଯାଇଛି।

ପ୍ରଥମତଃ, ସ୍କୁଲ୍‌ ପକ୍ଷରୁ ଅନୁଗୁଳ ଟାଉନ ମୌଜାରେ ପ୍ରାୟ ୧.୨୯ ଏକର ସରକାରୀ ଜମି ଅବୈଧ ଭାବେ ଦଖଲ କରାଯାଇଥିବା ଅଭିଯୋଗ ରହିଛି। ଦ୍ୱିତୀୟତଃ, ସ୍କୁଲ୍‌ ପରିଚାଳନା ସମିତି ଦ୍ୱାରା ପ୍ରାୟ ୭ କୋଟି ଟଙ୍କାର ଅର୍ଥ ଅନିୟମିତତା ଓ ଦୁର୍ବ୍ୟବସ୍ଥାପନା ହୋଇଥିବା ଗୁରୁତର ଅଭିଯୋଗ ଉଠିଛି । ଏହା ସହିତ, ଭୁଲ ସୂଚନା ଦେଇ CBSE ଆଫିଲିଏସନ୍‌ ନମ୍ବର (1530075) ହାସଲ କରାଯାଇଥିବା ଦାବି କରାଯାଇଛି। ସବୁଠାରୁ ଗୁରୁତର ଭାବେ, ମହିଳା ଶିକ୍ଷୟିତ୍ରୀମାନଙ୍କ ଉପରେ ଯୌନ ଉତ୍ତପୀଡନ ଏବଂ ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟିଥିବା ଅଭିଯୋଗ ମଧ୍ୟ ଉଠିଛି, ଯାହା ଘଟଣାକୁ ଅଧିକ ସମ୍ବେଦନଶୀଳ କରିଦେଇଛି।

ଏହି ପରିସ୍ଥିତିରେ, ଆରଡିସି କାର୍ଯ୍ୟାଳୟ ଜିଲ୍ଲାପାଳଙ୍କୁ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଦନ୍ତ କରି ତତ୍କାଳ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ସେହିପରି, ମାମଲାର ଗତିବିଧି ଉପରେ ନଜର ରଖିବାକୁ ମଧ୍ୟ ସମ୍ବନ୍ଧିତ ବିଭାଗକୁ କୁହାଯାଇଛି।

ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, ଆଗାମୀ ଦିନରେ ତଦନ୍ତ ଫଳାଫଳ କେମିତି ଆସିବ ତାହା ପ୍ରତି ସମସ୍ତଙ୍କ ଦୃଷ୍ଟି ରହିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page