ଫିଲ୍ମ ଷ୍ଟାଇଲରେ ଆସିଲେ , ପୁଲିସ ଓ ଇନକମ ଟାକ୍ସ ଅଫିସର କହି ସୁନା ଲୁଟି ନେଲେ

ତାଳଚେର – ଅକ୍ଷୟ କୁମାର ଅଭିନୀତ ସ୍ପେସିଆଲ ୨୬ ଢଙ୍ଗରେ ସୁନା ଆଉ ରୁପା ଲୁଟିନେଲେ ଲୁଟେରା । ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ ଥିବା ଏକ ସୁନା ରିଫାଇନାରୀ ଦୋକାନରୁ ଏଭଳି ଫିଲ୍ମ ଷ୍ଟାଇଲରେ ଆସି ନିଜକୁ ପୁଲିସ ଏବଂ ଇନକମ ଟାକ୍ସ ଅଫିସର ପରିଚୟ ଦେଇ ସୁନାରୁପା ଲୁଟ କରି ଚମ୍ପଟ ମାରିଛନ୍ତି କିଛି ଦୁର୍ବୃତ୍ତ ।


ପୁଲିସ ଓ ଇନକମ ଟାକ୍ସ ଅଫିସରର ପରିଚୟ ଦେଇ ତାଳଚେରର ହାଟତୋଟା‌ ଅଞ୍ଚଳର ଦେହୁରୀ ମାର୍କେଟରେ ଥିବା ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀ ଦୋକାନରେ କିଛି ଦୁର୍ବୁତ୍ତ ପଶିଥିଲେ । ପରେ ପ୍ରାୟ ୨୫୦ ଗ୍ରାମର ସୁନା ଲୁଟି ନେଇଥିଲେ। ଏପରିକି ଦୋକାନୀ କର୍ମଚାରୀଙ୍କୁ ଅପହରଣ କରି ନେଇ ଅନୁଗୁଳ ସହର ନିକଟରେ ଛାଡ଼ିଦେଇ ଛୁ ମାରିଥିଲେ। ଆଜି ସନ୍ଧ୍ୟା ୬ଟା ୧୫ ବେଳକୁ ଅନୁଗୁଳ ତାଳଚେର ସହରରେ ଘଟିଥିବା ଏ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟେରାଙ୍କ ଭିଜୁଆଲ ଦୋକାନର ସିସିଟିଭିରେ କଏଦ ମଧ୍ୟ ହୋଇଛି । ଖବର ପାଇ ତାଳଚେର ପୁଲିସ୍‌ ସମେତ ଅନୁଗୁଳ ପୁଲିସର ଅନେକଗୁଡ଼ିଏ ଟିମ ଓ ସ୍ପେସାଲ୍ ସ୍କ୍ୱାଡ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି । ସେହିପରି ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର ସବୁ ଥାନାକୁ ଗାଡ଼ି ସମ୍ପର୍କରେ ସୂଚନା ଦେଇ ଆଲର୍ଟ ରହିବାକୁ ଅନୁରୋଧ କରିଛି। ଆଜି ସନ୍ଧ୍ୟା ୬ ଟା ୧୫ ମିନିଟ୍ ବେଳକୁ ଏକ ହ୍ୟୁଣ୍ଡାଇ ଭର୍ନା କାରରେ ଆସି ୩ ଜଣ ବ୍ୟକ୍ତି ହଠାତ୍ ତାଳଚେର ହାତତୋଟାସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀରେ ପହଞ୍ଚି ରେଡ୍ ପାଇଁ ଭୁବନେଶ୍ୱର ପୁଲିସରୁ ଆସିଥିବା କହିଥିଲେ। ଏଠି ତୁମ ଗହଣା ଦୋକାନରେ ପ୍ରତିଦିନ କିଲେ ଦୁଇ କିଲୋର ସୁନା ନେଣଦେଣ ହେଉଛି। ତେଣୁ ଏବେ ରେଡ୍ ହେବ। କେତେ ଗହଣା ଅଛି ଦେଖାଅ। ଏମିତି କହି କିଛି ସମୟ ଦୋକାନ ଯାଞ୍ଚ କରିବା ପରେ ବିଭିନ୍ନ ଗହଣା ଦୋକାନରୁ ଆସି ମେଲଟିଂ ହୋଇ ରଖାଯାଇଥିବା ସୁନା ଡବା ସହ ଜଣେ ଦୋକାନୀ କର୍ମଚାରୀଙ୍କୁ ଗାଡ଼ିରେ ବସାଇ ଭୁବନେଶ୍ବର ଅଭିମୁଖେ ବାହାରିଲେ। ପରେ ଅନୁଗୁଳ କାଲଟାକ୍ସ ଛକ ନିକଟରେ ଦୋକାନ କର୍ମଚାରୀଙ୍କୁ ଛାଡ଼ି ଦୁର୍ବୃତ୍ତ ମାନେ ଛୁ ମାରିଥିଲେ । ଅପର ପକ୍ଷରେ ଏ ନେଇ ତାଳଚେର ଥାନାରେ ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀର ମାଲିକ ଅଭିଯୋଗ କରିଥିବା ଜଣା ପଡ଼ିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page