ଗୋଦାମରୁ ୧ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ବ୍ୟାଗ୍ ଚୋରି ଘଟଣା – ଚୋରି ସାମଗ୍ରୀ ଉଦ୍ଧାର , ଦୁଇ ଗିରଫ

ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ଅଞ୍ଚଳରେ ଥିବା ଏକ ଗୋଦାମରୁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ପ୍ଲାଷ୍ଟିକ୍ ବ୍ୟାଗ୍ ଚୋରି ଘଟଣାରେ ପୁଲିସ ଚୋରି ସାମଗ୍ରୀ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ୧୯ ବର୍ଷୀୟ ଯୁବକ ଓ ଜଣେ ନାବାଳକ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ପୁଲିସ ସୂଚନା ଅନୁଯାୟୀ, ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବସାୟୀ ବିଶ୍ୱଜିତ ପ୍ରଧାନ ଅକ୍ଟୋବର ୧୧ ତାରିଖ ରାତି ପ୍ରାୟ ୮ଟାରେ ନିଜ ଗୋଦାମ ବନ୍ଦ କରିଥିଲେ। ଅକ୍ଟୋବର ୧୩ ତାରିଖ ସକାଳେ ଗୋଦାମକୁ ଆସିବା ପରେ ଟିଣ ଛାତ ଭଙ୍ଗାଯାଇଥିବା ଏବଂ CCTV କ୍ୟାମେରାର ତାର କଟାଯାଇଥିବା ଦେଖିଥିଲେ। ଯାଞ୍ଚ ସମୟରେ ଗୋଦାମରୁ ପ୍ରାୟ ୧ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ବ୍ୟାଗ୍ ଚୋରି ହୋଇଥିବା ଜଣାପଡ଼ିଥିଲା।

ଏ ନେଇ ଅଭିଯୋଗ ପରେ ସଦର ଥାନାରେ ମାମଲା ରୁଜୁ କରାଯାଇଥିଲା। ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନିର୍ଦେଶରେ ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହ ସାକ୍ଷୀଙ୍କୁ ପଚରାଉଚରା ଏବଂ CCTV ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଆଗକୁ ବଢ଼ାଇଥିଲା। ଏହି ତଦନ୍ତରେ ନୂଆମୌଜାର ଗୌତମ ଓରଫ ଆଦର୍ଶ ବେହେରା (୧୯) ଏବଂ ଜଣେ ୧୫ ବର୍ଷୀୟ ନାବାଳକଙ୍କ ସମ୍ପୃକ୍ତି ଜଣାପଡ଼ିଥିବା ପୁଲିସ କହିଛି।

ଅଭିଯୁକ୍ତ ଗୌତମଙ୍କ ସୂଚନା ଆଧାରରେ ସାକ୍ଷୀଙ୍କ ଉପସ୍ଥିତିରେ ଲୁଚାଇ ରଖାଯାଇଥିବା ସ୍ଥାନରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଉଦ୍ଧାର ସାମଗ୍ରୀ ମଧ୍ୟରେ ପ୍ଲାଷ୍ଟିକ୍ ବ୍ୟାଗ୍ ଭର୍ତ୍ତି ଚାରୋଟି ଜରି ବ୍ୟାଗ୍ ରହିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page