ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅର୍କିଳି ଗାଁରେ ପାରିବାରିକ କଳହରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ହେଇଛି । ପାରିବାରିକ କଳହ ଯୋଗୁଁ ପୁଅକୁ ହତ୍ୟା କରି ପୋତି ଦେଇଥିଲା ବାପା । ଛଅ ଦିନ ପରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଛି ପୁଲିସ ।

ସୂଚନା ଅନୁସାରେ , ଅର୍କିଳି ଗାଁର ମୁରଲୀଧର ବେହେରାଙ୍କ ପୁଅ ସଞ୍ଜୀବ ୧୦ ବର୍ଷ ପୂର୍ବରୁ ବିବାହ କରିଥିଲେ । ଟାଵକ୍ର ଦୁଇଟି ସନ୍ତାନ ରହିଛି । ୪ ବର୍ଷ ତଳେ ସଞ୍ଜୀବ ପୁଣି ଅନ୍ୟ ଜାତିର ଜଣେ ଝିଅକୁ ଦ୍ଵିତୀୟ ବିବାହ କରିଥିଲେ । ଆଉ ସେବେଠାରୁ ପରିବାର ଲୋକଙ୍କ ବିରୋଧ ଯୋଗୁଁ ସେ ଦ୍ଵିତୀୟ ପତ୍ନୀଙ୍କ ସହ ବାପାଙ୍କ ଏକ ଜମିରେ ଘର କରି ରହୁଥିଲେ । ତେବେ ଏହି କଥାକୁ ନେଇ ପ୍ରତିଦିନ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ଗତ ୫ ଦିନ ତଳେ ତାଙ୍କ ବାପା ଓ ମାଙ୍କର ପ୍ରଚୁର ଝଗଡା ହେଇଥିଲା । ସେଥିରେ ରାଗିଯାଇ ସଞ୍ଜୀବ ତାଙ୍କ ମାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏହା ଦେଖି ବାପା ମୁରଲୀଧର ବେହେରା ପୁଅ ସଞ୍ଜୀବଠାରୁ ଜୋର ଜବରଦସ୍ତ ଟାଙ୍ଗିଆ ଛଡାଇଥିଲେ ଓ ସେହି ଟାଙ୍ଗିଆରେ ପୁଅକୁ ହାଣି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ସଞ୍ଜୀବର ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ବାପା ମାଆ ଦୁହେଁ ମିଶି ମୃତଦେହକୁ ଜଙ୍ଗଲରେ ପୋତି ଦେଇଥିଲେ । ତେବେ ସଞ୍ଜୀବକୁ ନପାଇ ସଞ୍ଜୀବଙ୍କ ଦ୍ଵିତୀୟ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାର ଛଅ ଦିନ ପରେ ଖବର ପାଇଁ ରେଙ୍ଗାଳି ପୁଲିସ ମୃତଦେହକୁ ଜବତ କରିବା ସହ ବାପା ଓ ମାଆକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ରେଙ୍ଗାଳି ଥାନା ପୁଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରିରଖିଛି ।

