ନର୍ସ ନିଯୁକ୍ତି କେଳେଙ୍କାରୀରେ ରାଜନୀତି ତେଜିଲା, ବିଜେପିକୁ ଘେରିଲା ବିଜେଡି

ଅନୁଗୋଳ – ତାଳଚେର ପବିତ୍ର ମୋହନ ମେଡିକାଲ କଲେଜର ଠିକା ନର୍ସ ନିଯୁକ୍ତି କେଳେଙ୍କାରୀକୁ ନେଇ ସରଗରମ ରାଜନୀତି। ଆଜି ତାଳଚେରରେ ପ୍ରେସ୍‌ମିଟ୍ କରି ବିଜୁ ଜନତା ଦଳ ବିଜେପି ଉପରେ ଆଣିଛି ସାଂଘାତିକ ଅଭିଯୋଗ। ନର୍ସ ନିଯୁକ୍ତି କେଳେଙ୍କାରୀର ପ୍ରକୃତ ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଥିବା ବେଳେ ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଷଡଯନ୍ତ୍ର କରାଯାଉଛି ବୋଲି ଦଳ ଅଭିଯୋଗ କରିଛି।ତାଳଚେର ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ପ୍ରେସ୍‌ମିଟ୍‌ରେ ଦଳ କହିଛି, ଗତ ଦୁଇ ବର୍ଷ ଧରି ତାଳଚେରରେ ଆଇନଶୃଙ୍ଖଳା ସ୍ଥିତି ଅବନତି ଘଟିଥିବା ବେଳେ ହତ୍ୟା, ଲୁଟ, ବଳାତ୍କାର ଏବଂ ଜମିହରାଙ୍କ ସମସ୍ୟା ନେଇ ବିଜେପି ନେତାମାନେ ନିରବ ରହିଛନ୍ତି। ପବିତ୍ର ମୋହନ ମେଡିକାଲ କଲେଜର ଠିକା ନର୍ସ ନିଯୁକ୍ତିରେ ଜାଲ୍ ପ୍ରମାଣପତ୍ର ବ୍ୟବହାର କରି ୧୨୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଉଠିଥିବା ବେଳେ, ଏହାର ସିବିଆଇ ତଦନ୍ତ ଦାବି କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ବୋଲି ବିଜେଡି କହିଛି। ଦଳ ଆହୁରି ଅଭିଯୋଗ କରିଛି ଯେ, କେତେକ ବିଜେପି ନେତା ନର୍ସ ନିଯୁକ୍ତି କେଳେଙ୍କାରୀର ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ସହ ବିଧାୟକଙ୍କ ଛବିକୁ ମଳିନ କରିବା ପାଇଁ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି। ତେଣୁ ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରକୁ ଆଣି ଗିରଫ କରିବାକୁ ବିଜେଡି ଦାବି କରିଛି।
ସେହିପରି ତାଳଚେର ବିଧାୟକଙ୍କ ନେତୃତ୍ୱରେ ଅଞ୍ଚଳରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇଥିବା ଦାବି କରି ବିଜେଡି କହିଛି, ଯଦି ନର୍ସ ନିଯୁକ୍ତି କେଳେଙ୍କାରୀର ପ୍ରକୃତ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ତେବେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page