ଅନୁଗୋଳ – ଅନୁଗୋଳ ସହରର ପୁରାତନ କ୍ଲବ ପ୍ରିନ୍ସ ଆଣ୍ଡ୍ ପ୍ରିନ୍ସ ପକ୍ଷରୁ ଚଳିତ ବର୍ଷ ନିଆରା ଢଙ୍ଗରେ ‘ଗଣେଶ ଆଗମନ’ ଉତ୍ସବ ପାଳିତ ହୋଇଛି। ଶନିବାର ସନ୍ଧ୍ୟାରେ ମଣ୍ଡପରେ ପ୍ରଭୁ ବିଘ୍ନ ବିନାଶକଙ୍କ ମୂର୍ତ୍ତି ପହଞ୍ଚିବା ପରେ ମହାଆଡ଼ମ୍ବରରେ ତାଙ୍କୁ ସ୍ବାଗତ କରାଯାଇଥିଲା।ମଣ୍ଡପ ସମ୍ମୁଖରେ ରଙ୍ଗୀନ ଆଲୋକରେ ସ୍ବତନ୍ତ୍ର ଷ୍ଟେଜ୍ ପ୍ରସ୍ତୁତ କରାଯାଇଥିଲା। ମୂର୍ତ୍ତି ପହଞ୍ଚିବା ମାତ୍ରେ ଗୀତର ତାଳେ ତାଳେ କ୍ଲବର କାର୍ଯ୍ୟକର୍ତ୍ତାମାନେ ସିଦ୍ଧି ବିନାୟକଙ୍କୁ ସ୍ବାଗତ କରିଥିଲେ। ଏଥିସହ ବାଣ ଫୁଟାଇ ଗଣେଶଙ୍କ ଆଗମନକୁ ଉତ୍ସବମୁଖର କରାଯାଇଥିଲା।

ଆଲୋକମାଳାରେ ସଜେଇ ହୋଇଥିବା ମଣ୍ଡପ ଓ ଉତ୍ସାହିତ କ୍ଲବ ସଦସ୍ୟଙ୍କ ଉପସ୍ଥିତିରେ ସୃଷ୍ଟି ହୋଇଥିଲା ଉତ୍ସବର ମାହୋଲ।ମଣ୍ଡପରେ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ଏଭଳି ‘ଗଣେଶ ଆଗମନ’ କାର୍ଯ୍ୟକ୍ରମ ଅନୁଗୋଳରେ ପ୍ରଥମ ଥର ପାଇଁ କରାଯାଇଥିବା କୁହାଯାଇଛି। ଏହାକୁ ନେଇ କ୍ଲବ ସଦସ୍ୟଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।ସ୍ବତନ୍ତ୍ର ମୂର୍ତ୍ତି ପାଇଁ ପ୍ରିନ୍ସ କ୍ଲବର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖି କ୍ଲବ ପକ୍ଷରୁ ଗଜାନନଙ୍କ ମୂର୍ତ୍ତିକୁ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ରାଧାକୃଷ୍ଣ ଥିମ୍ରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥିବା କମିଟିର ସଭାପତି ଦିବ୍ୟଜିତ୍ ଦାଶ ପ୍ରକାଶ କରିଛନ୍ତି।ଗଣେଶ ପୂଜା ପୂର୍ବରୁ ପ୍ରିନ୍ସ କ୍ଲବର ଏହି ନିଆରା ‘ଗଣେଶ ଆଗମନ’ କାର୍ଯ୍ୟକ୍ରମ ସହରବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି l

