ବନ ବିଭାଗ ଅଧିକାରୀ କରୁଥିଲେ ସରକାରୀ ଗାଡ଼ିରେ କାଠ ଚୋରା ଚାଲାଣ – ତଦନ୍ତ କରୁଛନ୍ତି ବରିଷ୍ଠ ଅଧିକାରୀ

ଅନୁଗୁଳ – ବନ ବିଭାଗ ଗାଡ଼ିରେ କାଠ ଚୋରା ଚାଲାଣା କରୁଛନ୍ତି ଖୋଦ୍ ବନ ବିଭାଗର ଅଧିକାରୀ । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପୁଲିସ ଏହି ଚୋରା କାଠ ଗାଡ଼ି ଧରିବା ପରେ ଘଟଣା ସାମ୍‌ନାକୁ ଆସିଛି । ହେଲେ, ବନ ବିଭାଗର ବଡ଼ ବଡ଼ିଆ ଅଧିକାରୀ ଗାଡ଼ିରେ ଯାଉଥିବାରୁ ଏହାକୁ ପୁଲିସ ଛାଡ଼ି ଦେଇଥିଲା । କଥା ପ୍ରଘଟ ହେବା ପରେ ଅନୁଗୁଳ ବନ ବିଭାଗରେ ହଲଚଲ ସୃଷ୍ଟି ହୋଇଛି। 

ସୂଚନା ଅନୁସାରେ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଲାଗିଥିବା ଏକ ଗାଡ଼ି ଅନୁଗୁଳର ରେଢ଼ାଖୋଲ ଆଡ଼କୁ ଯାଉଥିଲା। ଏହି ସମୟରେ କେହି ଜଣେ ଗଂଜେଇ ଚାଲାଣ ହେଉଥିବା ନେଇ ୧୧୨ ରେ ଜଣାଇବା ସହ ଜରପଡ଼ା ଥାନାକୁ ଯୋଗାଯୋଗ କରିଥିଲେ । ଏକ ସରକାରୀ ଗାଡ଼ିରେ ଗଂଜେଇ ଯାଉଥିବା ପୁଲିସକୁ ସୂଚନା ମିଳିଥିଲା । ପରେ ପୁଲିସ ନାକା ଲଗାଇ ସରକାରୀ ଗାଡ଼ି ସବୁ ଯାଞ୍ଚ କରିଥିଲା । ଏହି ସମୟରେ ଅନୁଗୁଳ ପଟରୁ ଯାଉଥିବା ବନ ବିଭାଗର ଏକ ବଲେରୋ ଗାଡ଼ି(ଓଡି-୦୫-ସିଜି-୧୩୮୮)କୁ ପୁଲିସ ଅଟକାଇଥିଲା । ଏହି ଗାଡ଼ି ସରକାରୀ କାମରେ ଲାଗିଥିବା ଓ ବନ ବିଭାଗ ଅଧୀନରେ ଥିବା ଗାଡ଼ିରେ ଲେଖାଯାଇଥିଲା । ଗାଡ଼ିକୁ ପୁଲିସ ଯାଞ୍ଚ କରିବା ସମୟରେ ଏହା ଭିତରେ ମୂଲ୍ୟବାନ ଶାଗୁଆନ କାଠ ଥିବା ପୁଲିସ ଦେଖିବାକୁ ପାଇଥିଲା ।ହେଲେ, ଗାଡ଼ିରେ ଯାଉଥିବା ବ୍ୟକ୍ତି ଜଣଙ୍କ ନିଜକୁ ଜିଲିଣ୍ଡା ରେଞ୍ଜ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସରକାରୀ କାମରେ ସେ ଥିବା ଓ ଗାଡ଼ିରେ ଜବତ କାଠ ନେଉଥିବା ନେଇ ସେ ପୁଲିସକୁ କହିଥିଲେ। ବନ ବିଭାଗ ଅଧିକାରୀ ହୋଇଥିବାରୁ କଥା ଆଉ ଆଗକୁ ନ ବଢ଼ାଇ ପୁଲିସ ତାଙ୍କୁ ପଚରାଉଚୁରା କରି ଛାଡ଼ି ଦେଇଥିଲା । ହେଲେ, ଜିଲିଣ୍ଡା ରେଞ୍ଜ ଅଧିକାରୀ କେଉଁଠୁ କାଠ ଜବତ କରି ଜରପଡ଼ା ଆଡ଼କ ଯାଉଥିଲେ, ତା’କୁ ନେଇ ପ୍ରଶ୍ନ ଉଠିଥିଲା ।  ପୁଣି ସରକାରୀ ଗାଡ଼ିରେ ଜବତ କାଠ ନେଉଥିବା ବେଳେ ଏଥିରେ ଅନ୍ୟ ବନ କର୍ମଚାରୀମାନେ ମଧ୍ୟ ନ ଥିଲେ । ଏପରିକି କାଠ ଜବତ ନେଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଜାଣି ନଥିବା କହିଛନ୍ତି। ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ ଗଦାଧର ପାତ୍ର କହିଛନ୍ତି, ସରକାରୀ ଗାଡ଼ିରେ କାଠ ଚାଲାଣ ହେବା ନେଇ ମଧ୍ୟ ଖବର ମିଳିଛି । ଘଟଣାର ତଦନ୍ତ କରାଅ ଯାଉଛି । RCCF ମଧ୍ୟ ଘଟଣାର ଜାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି । ଅପରପକ୍ଷରେ ଜିଲିଣ୍ଡା ରେଞ୍ଜ ଅଧିକାରୀ ଏହି କାଠ କିଣି ନେଉଥିବା କହିବା ସହ ସରକାରୀ ଗାଡି ଭଡା ସୂତ୍ରରେ ନେଉଥିବା କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page